Unknown

 

 

 

 

 

 

 

 

 

ସମୟର ସଦ୍‌ବ୍ୟବହାର

ପଣ୍ଡିତ ନୀଳମଣି ବିଦ୍ୟାରତ୍ନ

 

ଆମ୍ଭମାନଙ୍କ ଦେଶର ଲୋକମାନେ ସମୟର ଯେପରି ଅପବ୍ୟବହାର କରନ୍ତି ଅନ୍ୟଦେଶରେ ସେପରି ଦେଖାଯାଏ ନାହିଁ । ‘‘ହଁ କରିବାତ,’’ ‘‘ପଛେକରିବା’’ ‘‘ହଁ କରିଦେବା’’ ମନକୁ ଏପରି ପ୍ରବୋଧ ଦେଇ ପ୍ରୟୋଜନୀୟ କାର୍ଯ୍ୟମାନ ଯଥା ସମୟରେ ନକରି ପଛକୁ ପକାଇରଖନ୍ତି । ତାସ, ପଶା ଆଦି ଖେଳ ପରନିନ୍ଦା, ବୃଥା ଗଳ୍ପରେ କାଳଯାପନ କରିବା ବିଷୟରେ କାହାରି କିଛିମାତ୍ର ଅବହେଳା ନାହିଁ । ସମୟର ମୂଲ୍ୟବୋଧ ନଥିବାରୁ ଲୋକମାନେ ତହିଁର ଯଥୋଚିତ ବ୍ୟବହାର କରି ନପାରି କ୍ଷତିଗ୍ରସ୍ତ ହେଉ ଅଛନ୍ତି । ସେମାନେ ଜାଣନ୍ତି ନାହିଁ ପେସାୟର ମୂଲ୍ୟ କୋଟୀ କହିନୂର ଅପେକ୍ଷା ମୂଲ୍ୟବାନ୍‌ । ସମୟର ମୂଲ୍ୟବୋଧ ନଥିବାରୁ ଆମ୍ଭମାନଙ୍କ ଦେଶ ନିତାନ୍ତ ଅନୁନ୍ନତାବସ୍ଥାରେ ରହିଅଛି । ଯେଉଁ ଯେଉଁ ଦେଶର ଲୋକମାନେ ସମୟର ମୂଲ୍ୟ ବୁଝି ତହିଁର ସଦ୍‌ବ୍ୟବହାର କରୁଅଛନ୍ତି ସେହି ସେହି ଦେଶମାନ ଅତ୍ୟନ୍ତ ଉନ୍ନତାବସ୍ଥା ଲିଭିଅଛି । ସମୟର ଅପବ୍ୟବହାର ଅବନତର ସରଳମାର୍ଗ । ଅନେକେ ମନେକରନ୍ତି ଯେ ଟିକିଏ ସମୟ ନଷ୍ଟକଲେ କ୍ଷତିକଣ ? କିନ୍ତୁ ଏହିପରି ଟିକିଏ ଟିକିଏ ଉପେକ୍ଷା କରୁକରୁ କ୍ରମରେ ବର୍ଷ ପର୍ଯ୍ୟନ୍ତ ଉପେକ୍ଷିତ ହୁଏ, -ମନୁଷ୍ୟ ଦୀର୍ଘସୁତ୍ରୀ ବା ଅଳସାବତାର ହୋଇପଡ଼େ । ଅଭ୍ୟାସ ପ୍ରକୃତିର ଦଶଗୁଣ । ସମୟର ବିଭାଗକରି ତହିଁର ସଦ୍‌ବ୍ୟବହାର କରିବା ବୁଦ୍ଧିମାନ ଉନ୍ନତିକାମୀ ବ୍ୟକ୍ତିର ଏକାନ୍ତ କର୍ତ୍ତବ୍ୟ ।

 

ମହାଜତି ପ୍ରାଙ୍କଲିନ୍‌ କହି ଅଛନ୍ତି, - ‘‘ଯେଉଁ ବ୍ୟକ୍ତି ସମୟକୁ ଉପେକ୍ଷା କରେ ବା ସମୟର ସଦ୍‌ବ୍ୟବହାର ନକରେ ସମୟ ତାପ୍ରତି ବାମହୋଇ ଥାଏ,’’ ‘‘ଯେଉଁ ବ୍ୟକ୍ତି ବିନାକାର୍ଯ୍ୟରେ ଏକମୁହୂର୍ତ୍ତ ନଷ୍ଟକରେ ସେ ବ୍ୟକ୍ତି ଏକଦିନରେ ସହସ୍ର ମୁଦ୍ରାଲାଭରୁ ବଞ୍ଚିତହୁଏ । ସାମାନ୍ୟ ଛିଦ୍ର ଦ୍ୱାରା ସୁବୃହତ୍‌ ଅର୍ଣ୍ଣବଯାନ ଜଳମଗ୍ନ ହୋଇପାରେ । ବିନ୍ଦୁବିନ୍ଦୁ ଜଳପାତରେ ସୁଦୃଢ ପ୍ରସ୍ତର ଖଣ୍ଡ ବିଦୀର୍ଣ୍ଣ ହୋଇଯାଏ ।’’

 

‘‘ମୋସଲେସ କର୍ମ୍ମବୀର ଚରିତମାଳା’’ ପୁସ୍ତକରେ ଲେଖାଅଛି,- ‘‘ଆମ୍ଭେମାନେ ସମୟର ବ୍ୟବହାର ଜାଣୁନାହିଁ; ସମୟ ଆମ୍ଭମାନଙ୍କର ଅଲକ୍ଷ୍ୟରେ ଚାଲିଯାଏ; ଦେଖୁଦେଖୁ ଜୀବନ ନାଟକର ଅଭିନୟ ଶେଷହୁଏ, କାର୍ଯ୍ୟ ବାକି ପଡ଼ିଥାଏ, । ‘‘ସମୟର ଅଭାବ’’ ଅଳସର ଆପତ୍ତି, - କର୍ମ୍ମବୀରର ଉକ୍ତିନୁହେଁ ।’’ କୋଲଟନ କହିଅଛନ୍ତି, - ‘‘ଯେଉଁ ବ୍ୟକ୍ତି ଅବିଶ୍ରାନ୍ତ ପରିଶ୍ରମରେ ସକ୍ଷମ ତାହାର କଦାଚ କୌଣସି ବିଘ୍ନ ଘଟେନାହିଁ ।’’ ଡେଭନ୍ୟାଣ୍ଟଙ୍କ ମତରେ ‘‘ପ୍ରକୃତିର ବଞ୍ଚିତ ସମୟ ଉପରେ ତତ୍‌ପରତା ସହିତ ଯେଉଁ ବ୍ୟକ୍ତି ଅଧିକାର ସ୍ଥାପନ କରିବାକୁ ସକ୍ଷମ ସେହି ବ୍ୟକ୍ତିହିଁ ଶ୍ରେଷ୍ଠ-।’’

 

ମନ୍ତ୍ରୀପ୍ରବର ବୃଦ୍ଧ ବ୍ଲାଡଷ୍ଟୋନ କହି ଯାଇଅଛନ୍ତି, - ‘‘ମୋ କଥାରେ ବିଶ୍ୱାସ କର, ସାମାନ୍ୟ ସମୟର ସଦ୍‌ବ୍ୟବହାର କଲେ ତୁମ୍ଭେମାନେ ଭବିଷ୍ୟତ ଜୀବନରେ ସ୍ୱପ୍ନାତୀତ ସୁଖଭୋଗ କରି ପାରିବ ଏବଂ ତାହାର ଅପବ୍ୟବହାରରେ ଆଜୀବନ ଦଗ୍ଧହୋଇ ମରିବାକୁ ହେବ-।’’

 

ଡେଭିଡ଼୍‌ ହିଉମ କହିଅଛନ୍ତି,- ‘‘ମନୁଷ୍ୟ ଯଦି ସମୟର ସଦ୍‌ବ୍ୟବହାର କରେ ତାହାହେଲେ କର୍ଷିତ କ୍ଷେତ୍ରପରି ଫଳଲାଭ ହେବ । ଉର୍ବରକ୍ଷେତ୍ର ଯଦି ଆବାଦ କରା ନଯାଏ ସମୟରେ ତାହା କଣ୍ଟକାବୃତ୍ତ ହୁଏ ।’’

 

ହୋରେଶ ନାମକ ଜଣେ ପଣ୍ଡିତ ଦିନେ ଦୁଇଘଣ୍ଟା କାଳ ଅକାରଣରେ ନଷ୍ଟ କରିବା ହେତୁ ସନ୍ତପ୍ତ ହୋଇ କହିଥିଲେ, - ଆଜି ମୋର ଦୁଇଗୋଟି ଅମୂଲ୍ୟରତ୍ନ ଜଗତରେ ଚିରଦିନ ସକାଶ ହରାଇଲି, ତାହା ଫେରିପାଇବାର ଆଶାନାହିଁ ।’’ ଜଗତର ମହାଜ୍ଞାନ ପ୍ରଧାନ ପ୍ରଧାନ ଲୋକମାନେ ସମୟକୁ କିପରି ମୂଲ୍ୟବାନ ମନେ କରିଥାନ୍ତି ହୋରେଶଙ୍କ ଉକ୍ତିରୁ ଜଣାଯାଉ ଅଛି । ଇଟାଲିର ଜଣେ ପ୍ରସିଦ୍ଧ ବ୍ୟକ୍ତି ପ୍ରତ୍ୟେକ ମିନିଟକୁ ତାଙ୍କର ଗୋଟିଏ ଗୋଟିଏ ଜମିଦାରୀ ମନେକରିଥାନ୍ତି । ଜଣେ ପ୍ରବୀଣ ସମ୍ପାଦକ କହିଅଛନ୍ତି,- ‘‘ଟଙ୍କା ହରାଇଲେ ମିଳିପାରେ କିନ୍ତୁ ସମୟ ହରାଇଲେ ଆଉ ମିଳିବ ନାହିଁ ।’’

 

ଅଳସତା ସମୟ ସଦ୍‌ବ୍ୟବହାରର ପ୍ରଧାନ ପରିପନ୍ଥି । ଆଳସ୍ୟପରାୟଣ ବ୍ୟକ୍ତି ପଶୁଠାରୁ ହୀନ । କାଉପରି କହିଅଛନ୍ତି, - ଘଣ୍ଟା ଓ ମିନିଟର କଣ୍ଟାହୀନ ଘଟିକାଯନ୍ତ୍ର ଚଳିଲେ ବା ବନ୍ଦହେଲେ ଯେପରି କୌଣସି ଉପକାର ହୁଏନାହିଁ ସେହିପରି ଅଳସ ବ୍ୟକ୍ତିର ଏସଂସାରରେ ଆବଶ୍ୟକତା ନାହିଁ ।’’

 

ସ୍କଚ୍‌ ଦେଶୀୟ ଗୋଟିଏ ପ୍ରବାଦର ମର୍ମ୍ମ ଏହିଯେ ବ୍ୟବହୃତ ଚାବି (କଞ୍ଚି) ର ଉଜ୍ଜ୍ୱଳତା ଦିନକୁ ଦିନ ବୃଦ୍ଧିହୋଇଥାଏ । ଆଳସ୍ୟରୂପ କଳଙ୍କ ଯେପରି ଶରୀର କ୍ଷୟକରେ ପରିଶ୍ରମ ଦ୍ୱାରା କେବେହେଁ ସେପରି ହୁଏନାହିଁ, ଅଧିକନ୍ତୁ ତଦ୍ୱାରା ଉତ୍ତରୋତ୍ତର ଲାବଣ୍ୟ ବୃଦ୍ଧିହୁଏ ।’’

 

ବର୍ଟନ କହିଅଛନ୍ତି, - ‘‘ଆଳସ୍ୟ, ଶରୀର ଓ ମନର ଶତ୍ରୁ, ଗର୍ହିତ କାର୍ଯ୍ୟର ଧାତ୍ରୀ, ସଦ୍‌ଉପଦେଶର ବିମାତା, ଅନ୍ୟାୟ କାର୍ଯ୍ୟର ପୋଷକ, ନିର୍ଦ୍ଦିଷ୍ଟ ସାତଗୋଟି ମହାପାପର ଅନ୍ୟତମ ପାପ, ଶୟତାନର ଆସନ, ଚିତ୍ତ ବିକାର ଓ ଅନ୍ୟାନ୍ୟ ପୀଡ଼ାର ନିଦାନ ।’’ ପାଠକ ! ବର୍ଟନଙ୍କର ଏହି ଉକ୍ତିକି ଅକ୍ଷରେ ଅକ୍ଷରେ ସତ୍ୟନୁହେଁ ? ଏପରି ଅଳସତାର ଆଶ୍ରିତ ହେବା କି ଉଚିତ ?

 

ଅନେକ ଲୋକ କହିଥାନ୍ତି, - ‘‘ସମୟ ପଛରେ କେତେ ମହତ୍‌ କାର୍ଯ୍ୟ କରନ୍ତି,’’ ‘‘ସମୟାଭାବରୁ କିଛି କରି ପାରୁନାହିଁ’’, ଏହା କେବଳ ଛଳନାମାତ୍ର । ସେମାନଙ୍କର ବୁଝିବା ଉଚିତ ଯେ, ‘‘ମନୁଷ୍ୟ ସମୟର ଦାସନୁହେଁ, ସମୟ ମନୁଷ୍ୟର ଦାସ,’’ ମନୁଷ୍ୟ ଇଚ୍ଛାକଲେ ଉଦ୍ଦିଷ୍ଟ କାର୍ଯ୍ୟ ସାଧନ ସକାଶେ କଦାପି ସମୟର ଅଭାବ ହେବନାହିଁ । ବିବିଧ ଅସତ୍‌ କାର୍ଯ୍ୟସାଧନ ବେଳକୁ ସମୟର ଅଭାବ ହେଉ ନଥିବାଠାରେ ସତ୍‌କାର୍ଯ୍ୟ ବେଳକୁ ଅଭାବ ଘଟିବା ଏକାନ୍ତ ଅସମ୍ଭବ । ଇଚ୍ଛାଥିଲେ ସମୟର ଅଭାବ ହୁଏ ନାହିଁ, ଏପରି ଦୃଷ୍ଟାନ୍ତ ଜଗତରେ ବିରଳନୁହେଁ ।

 

ଡାକ୍ତର ମ୍ୟାଶନଗୁଡ ଲଣ୍ଡନ ନଗରରେ ତାଙ୍କର ଶତ ଶତ ରୋଗୀ ଦେଖିବା ସମୟରେ ଶକଟରେ ବସି ୨/୪ ମିନିଟ ଲେଖାଏଁ ସମୟ ବଞ୍ଚାଇ ଖଣ୍ଡେ ପ୍ରକାଣ୍ଡ ଲାଟିନ କାବ୍ୟର ଅନୁବାଦ ଶେଷ କରିଥିଲେ । ଡାକ୍ତର ଡାରଉଇନ୍‌ ଶକଟରେ ବସି ତାଙ୍କର ସମସ୍ତ ପୁସ୍ତକ ଲେଖି ଜଗତରେ ଅଦ୍ୱିତୀୟ ପ୍ରସିଦ୍ଧି ଲାଭକରି ଯାଇଅଛନ୍ତି । ଡାକ୍ତର ‘ରସ ଶକଟରେ ବସି ବୁଲିବାବେଳେ ଚିକିତ୍ସା ବିଷୟକ ଅମୂଲ୍ୟ ଗ୍ରନ୍ଥାବଳୀ, ଡାକ୍ତର କୁରଭାର ଶରୀର ତତ୍ତ୍ୱ ବିଷୟକ ପୁସ୍ତକମାନ ରଚନା କରିଥିଲେ ।

 

ବିଖ୍ୟାତ କବିବର ପୋପଙ୍କ ନାମ ଶିକ୍ଷିତ ସମାଜରେ ଅବିଦିତ ନୁହେଁ । ସେ ରାତ୍ରରେ ପ୍ରତ୍ୟହ ସାମାନ୍ୟ ସମୟ ଉନ୍ନିଦ୍ର ରହି ତାଙ୍କର କାର୍ଯ୍ୟାବଳୀ ସଙ୍କଳନ କରିଥିଲେ । ଏଲିହୁରାଇଟ ଜଣେ ସାମାନ୍ୟ କର୍ମ୍ମକାର । ସେ ସମସ୍ତଦିନ କଠୋର ପରିଶ୍ରମ ପରେ କିଛି କିଛି ସମୟ ସଂଗ୍ରହ କରି ୧୮ ଗୋଟା ଭାଷାରେ ପାରଦର୍ଶିତା ଲାଭ କରିବାକୁ ସକ୍ଷମ ହୋଇଥିଲେ ।

 

ମିଷ୍ଟର ପ୍ରୋଟ ପେଶାଦାରୀ କାରବାରରେ ସର୍ବଦା ବିବ୍ରତ ଥାଇ ସୁଦ୍ଧା ଗ୍ରୀସ ଦେଶର ପ୍ରକାଣ୍ଡ ଦୁଇଖଣ୍ଡ ଇତିହାସ ଲେଖିଥିଲେ – ଯାହା ଅପେକ୍ଷା ଉତ୍‌କୃଷ୍ଟ ଇତିହାସ ଆଉ କେହି ଲେଖି ପାରି ନାହାନ୍ତି ।

 

ଓଡ଼ିଶାର ଭୂତପୂର୍ବ କମିଶନର ଏବଂ ଗଡ଼ଜାତ ସୁପରିଟେଣ୍ଡେଣ୍ଟ ୰ ରମେଶଚନ୍ଦ୍ର ଦତ୍ତ ଗୁରୁତର ରାଜକାର୍ଯ୍ୟରେ ବିବ୍ରତ ଥାଇ ମଧ୍ୟ ଅନେକ ଉତ୍‌କୃଷ୍ଟ ପୁସ୍ତକ ପ୍ରଣୟନ କରିଥିଲେ । ବଙ୍ଗର ବଙ୍କିମ, ନବୀନ ଡେପୁଟୀ ମାଜିଷ୍ଟ୍ରେଟ ଥାଇ ମଧ୍ୟ ବିବିଧ ପୁସ୍ତକ ପ୍ରଣୟନ ଦ୍ୱାରା ଅମରକୀର୍ତ୍ତି ରଖିଯାଇ ଅଛନ୍ତି । ଉତ୍କଳ ଗୌରବ ପୁଣ୍ୟଶ୍ଲୋକ କବିବର ରାଧାନାଥ ନିରନ୍ତର ରାଜକାର୍ଯ୍ୟରେ ଜଡ଼ିତ ଥାଇ ମଧ୍ୟ ଅମୂଲ୍ୟ କାବ୍ୟମାନ ରଚନା କରି ଅମର କୀର୍ତ୍ତିରଖି ଯାଇଅଛନ୍ତି । ସୁ-ଲେଖକ ରାମଶଙ୍କର ଜଣେ ଲବ୍ଧ ପ୍ରତିଷ୍ଠ ଓକୀଲ ହୋଇ ମଧ୍ୟ ଅନେକ ଉତ୍‌କୃଷ୍ଟ ନାଟକ, ଉପନ୍ୟାସ ଏବଂ ପ୍ରହସନ ଲେଖିଅଛନ୍ତି । ପ୍ରହରାଜ ଗୋପାଳଚନ୍ଦ୍ର ସୁପ୍ରସିଦ୍ଧ ଓକିଲ ହୋଇ ମଧ୍ୟ ଉତ୍କଳ ସାହିତ୍ୟର ନିୟମିତ ଲେଖକ ଓ କତିପୟ ଉତ୍‌କୃଷ୍ଟ ପୁସ୍ତକର ପ୍ରଣେତା । ଭକ୍ତକବି ମଧୁସୂଦନ ଆଜୀବନ ରାଜକାର୍ଯ୍ୟରେ ନିଯୁକ୍ତ ରହି ମଧ୍ୟ ଅନେକ ଗ୍ରନ୍ଥରତ୍ନ ରଚନାକରି ଉତ୍କଳରେ ଅକ୍ଷୟକୀର୍ତ୍ତି ଉପାର୍ଜ୍ଜନ କରି ଅଛନ୍ତି । କବି ସେନାପତି ଫକୀରମୋହନ ଉତ୍କଳବାସୀଙ୍କ ନିକଟରେ ସୁପରିଚିତ, ଉପେନ୍ଦ୍ରଭଞ୍ଜ ବହୁଗ୍ରନ୍ଥର ଲେଖକ ବୋଲି ସମସ୍ତେ କହନ୍ତି, ମାତ୍ର ସେନାପତି ଲେଖା ବିଷୟରେ ତାଙ୍କୁ ଅତିକ୍ରମକରି ଯାଇଅଛନ୍ତି । ସେ ରାଜକାର୍ଯ୍ୟରେ ନିଯୁକ୍ତ ଥିବା ସମୟଠାରୁ ଏପର୍ଯ୍ୟନ୍ତ ରାମାୟଣ, ମହାଭାରତ, ହରିବଂଶ, ଉପନିଷଦର ସରଳ ପଦ୍ୟାନୁବାଦ କରିଅଛନ୍ତି । ଗଦ୍ୟପଦ୍ୟରେ ଅନେକ ଗ୍ରନ୍ଥ ଲେଖିଅଛନ୍ତି – ଲେଖୁ ଅଛନ୍ତି, ସେ ସବୁ ବୋଝେଇ କଲେ ଏକ ଶଗଡ଼ରୁ ଅଧିକ ହେବ । ସାର୍‌ ସୁଢ଼ଳ ଦେବ କୃଷି , ଶିଳ୍ପ, ବାଣିଜ୍ୟ ଏବଂ ରାଜ୍ୟ ଶାସନ ଓ ପାଳନରେ ନିଯୁକ୍ତ ଥିଲେ ମଧ୍ୟ ତହିଁରୁ ସମୟ ବାହାର କରି ନିତ୍ୟ ନିୟମିତ ରୂପେ ସାହିତ୍ୟ ଚର୍ଚ୍ଚା କରୁଥିଲେ । ଅଳଙ୍କାର ବୋଧୋଦୟ , ଚିତ୍ରୋତ୍ପଳା, ବୀରବାମା, କିସିନ୍ଦା ଆଦି ପୁସ୍ତକ ତହିଁର ଉଜ୍ଜ୍ୱଳ ନିଦର୍ଶନ । ଦୀପୁଁଜାତ ଦୀପପ୍ରାୟେ ତାଙ୍କ ଜ୍ୟେଷ୍ଠପୁତ୍ର ମହାରାଜ ଶ୍ରୀ ସଚ୍ଚିଦାନନ୍ଦ ଦେବ ପିତୃପଦାଙ୍କାନୁଗାମୀ ହୋଇଥିବା ବିଷୟରେ ଅଧିକ ବଚନବ୍ୟୟ ଅନାବଶ୍ୟକ, ‘‘ଅଳଙ୍କାର ସାର ’’ ଏବଂ ‘‘ସଚ୍ଚିଦାନନ୍ଦ ଗ୍ରନ୍ଥାବଳୀ’’ ତହିଁର ଜୀବନ୍ତ ସାକ୍ଷ୍ୟ । କବି ନନ୍ଦକିଶୋର, କବି ଗଙ୍ଗାଧର ରାଜ କାର୍ଯ୍ୟରେ ନିଯୁକ୍ତ ଥାଇ ମଧ୍ୟ ସମୟର ସୁବ୍ୟବହାର କରିବା ଯୋଗୁଁ ସେମାନଙ୍କଠାରୁ ଦେଶବାସୀମାନେ ଖଣ୍ଡିକେତେ ଉପାଦେୟ କାବ୍ୟରତ୍ନ ଉପହାର ପାଇବାକୁ ସକ୍ଷମ ହୋଇଅଛନ୍ତି ।

ଖୋଜିଲେ ଉତ୍କଳରୁ ଆଉ କେତେଜଣ ବାହାରିବେ । ଉନ୍ନତିର ଇଚ୍ଛାକଲେ ଅତି ମହତ୍‌ କାର୍ଯ୍ୟସାଧନ କରିବା ସକାଶ ସୁଦ୍ଧା ଯଥେଷ୍ଟ ସମୟ ମିଳିପାରେ । ଏପରି ସ୍ଥଳେ ସାଧାରଣ ଲୋକଙ୍କ କଥା ତେଣେ ଥାଉ ଉଚ୍ଚଶିକ୍ଷିତ ବ୍ୟକ୍ତିମାନେ ସମୟାଭାବରେ ଆପତ୍ତି କରୁଥିବା ଅତ୍ୟନ୍ତ ପରିତାପର ବିଷୟ ।

ସାମାନ୍ୟ ସମୟର ଅପବ୍ୟୟରେ ଉଇଲିୟମ ବଜେଟ ନାମକ ଜନୈକ ଜଗତ୍‌ବିଖ୍ୟାତ ବ୍ୟବସାୟୀଙ୍କର ବିଶେଷ କ୍ଷତି ହୋଇଥିଲା । ଦିନେ ତାଙ୍କ ଅଫିସର ଜଣେ ଶିକ୍ଷାନିବିଶ ଯୁବକ ଉପରେ ଜାହାଜର ଚଲାଣ ଲେଖିବାର ଭାର ଥିଲା । ସେ ସେଦିନ ଅଫିସ ପିଣ୍ଡାକୁ ମସି ଶିସ୍‌ମାରି ସ୍ତମ୍ଭ ଗାତ୍ରରେ ବାଦ୍ୟ ବଜାଇବାରେ ନିବିଷ୍ଟ ମନା । ଏଥିରେ ଅର୍ଦ୍ଧଘଣ୍ଟା ଅତୀତ ହେବାପରେ କାରଖାନାର କର୍ତ୍ତା ବଚ୍ଚେଟ ସାହେବ ପହୁଞ୍ଚି ଯୁବକ ଅର୍ଦ୍ଧଘଣ୍ଟା କାଳ କାର୍ଯ୍ୟ ବନ୍ଦକରି ସେଠାରେ ଥିବାର ଶୁଣିଲେ ଏବଂ ହିସାବ କରି ଦେଖିଲେ ଯେ ନିମ୍ନ କର୍ମଚାରୀମାନେ ଏହିପରି ଅର୍ଦ୍ଧଘଣ୍ଟା ଲେଖାଏଁ ବିଳମ୍ୱ କଲେ ୧୨ ଘଣ୍ଟା ସମୟ ବିଳମ୍ୱ ହେବ । ଏହି ବାର ଘଣ୍ଟା ସମସ୍ତ ବନ୍ଦରକୁ ଜାହାଜ ମାନ ଚଲାଣ ହୋଇ ପାରିବ ନାହିଁ, ସୁତରାଂ ସେହି ସବୁ ବନ୍ଦରରେ ତାଙ୍କର ଯେ ସବୁ ମାଲଅଛି ସେ ସବୁ ନିରୂପିତ ସମୟର ୨୪ ଘଣ୍ଟାରୁ ୪୮ ଘଣ୍ଟା ଅଧିକ ସମୟ ପଡ଼ି ରହିବ । ଏହି ବିଳମ୍ୱ ହେତୁ ତାଙ୍କୁ ପ୍ରାୟ ୨୦ ହଜାର ଟଙ୍କା ଗୋଦାମ ଭଡ଼ା ଦେବାକୁ ପଡ଼ିବ । ଯୁବକ ଏହା ଶୁଣି ଅପ୍ରତିର ହେଲେ ମଧ୍ୟ ବଚ୍ଚେଟଙ୍କ କ୍ଷତି ବର୍ଣ୍ଣନା ବିଶ୍ୱାସ କଲେ ନାହିଁ । କିଛିଦିନ ପରେ ଯେତେବେଳେ ଡିମାରେଜ ବା ଅତିରିକ୍ତ ସମୟ ଗୋଦାମରେ ମାଲ ପଡ଼ି ରହିବାର ବିଲ୍‌ମାନ ଆସିଲା ସେତେବେଳେ ବଚ୍ଚେଟ ସାହେବ ସେହି ଯୁବକକୁ ଡକାଇ ବିଲ୍‌ମାନ ଦେଖାଇ କହିଲେ ‘‘ତୁମ୍ଭର ସେହି ଅର୍ଦ୍ଧଘଣ୍ଟା ସମୟର ମୂଲ୍ୟ, ପ୍ରାୟ ୨୫ ହଜାର ଟଙ୍କା,’’ ଯୁବକ ଦେଖି ଶୁଣି ଅବାକ୍‌ । ଏଥି ସକାଶେ ସମୟକୁ ମୂଲ୍ୟବାନ୍‌ ଜ୍ଞାନ କରିବା ଉଚିତ ।

ସମୟର ସଦ୍‌ବ୍ୟବହାର କରିବାକୁ ହେଲେ ସମୟକୁ ବିଭାଗ କରି ଦୈନିକ କାର୍ଯ୍ୟର ଅନୁଷ୍ଠାନ କରିବା କର୍ତ୍ତବ୍ୟ । ସମୟର ବିଭାଗାନୁସାରେ କାର୍ଯ୍ୟ ନକଲେ, ଲୋକର ଅର୍ଦ୍ଧେକ ଶ୍ରମ ପଣ୍ଡ ଶ୍ରମରେ ପରିଣତ ହୁଏ । ଶଯ୍ୟାତ୍ୟାଗ କରିବା ପୂର୍ବରୁ ଦିବାସର କର୍ତ୍ତବ୍ୟ କାର୍ଯ୍ୟ ଗୁଡ଼ିକ ମନେ ମନେ ଚିନ୍ତାକରି, ଗୋଟିଏ ଗୋଟିଏ କାର୍ଯ୍ୟ ସମୟବିଶେଷ ନିମନ୍ତେ ନିର୍ଦ୍ଧାରିତ କରିବା ଉଚିତ, ଏବଂ ନିର୍ଦ୍ଦିଷ୍ଟ ସମୟ ଉପସ୍ଥିତ ହେଲେ ଯଦ୍ୱାରା ଉକ୍ତ କାର୍ଯ୍ୟ ଉକ୍ତ ସମୟରେ ସମ୍ପନ୍ନ ହୁଏ, ତବ୍ଦିଷୟରେ ପ୍ରାଣ ପଣରେ ଯତ୍ନ କରିବା ଉଚିତ । ପ୍ରଭାତ ସମୟ ଆଳସ୍ୟରେ କଟାଇ ପ୍ରଭାତର କାର୍ଯ୍ୟ ମଧ୍ୟାହ୍ନରେ କଲେ ମଧ୍ୟାହ୍ନର କାର୍ଯ୍ୟ ଆଉ କରାଯାଏ ନାହିଁ । ଅତଏବ ମଧ୍ୟାହ୍ନର କାର୍ଯ୍ୟଟି ଅସମ୍ପନ୍ନ ଭାବରେ ରହିଯାଏ । ଆମ୍ଭମାନଙ୍କର କର୍ତ୍ତବ୍ୟ କାର୍ଯ୍ୟ ଗୁଡ଼ିକ ଏହିପରି ଅସମ୍ପନ୍ନ ରହିଲେ, ଆମ୍ଭମାନଙ୍କର ଜୀବନର କୌଣସି ମୂଲ୍ୟ ରହେ ନାହିଁ, ତାହା ସହଜରେ ଅନୁମିତ ହୋଇପାରେ ।

ଇଂଲଣ୍ଡାଧୀଶ୍ୱର ମହାତ୍ମା ଆଲଫ୍ରେଡ଼ ସମୟ ବିଭାଗ ଦ୍ୱାରା କାର୍ଯ୍ୟ କରୁଥିଲେ ବୋଲି, ରାଜ୍ୟ ଶାସନ, ପ୍ରଜା ପାଳନ, ଶତ୍ରୁ ତାଡ଼ନ, ସ୍ୱରାଜ୍ୟରେ ଶାନ୍ତି ସଂସ୍ଥାପନ ପ୍ରଭୃତି ଗୁରୁତର କର୍ତ୍ତବ୍ୟ କାର୍ଯ୍ୟ ମଧ୍ୟରେ ସ୍ୱୀୟ ଜ୍ଞାନ ଲାଳସା ପରିତୃପ୍ତିର ଯଥେଷ୍ଟ ଅବସର ପାଉଥିଲେ । ସେ ସମୟକୁ ଅମୂଲରତ୍ନ ଭାବି ତାହାର ଏକମୁହୂର୍ତ୍ତ ସୁଦ୍ଧା ଅପବ୍ୟୟ କରୁନଥିଲେ । ସମୟ ବିଭାଗ ଦ୍ୱାରା ଏହିପରି କାର୍ଯ୍ୟ କରି ସେ ପ୍ରଜାମାନଙ୍କର କଲ୍ୟାଣ କରି ଅନେକ ସଦନୁଷ୍ଠାନ କରିବାକୁ ସମର୍ଥ ହୋଇଥିଲେ ଏବଂ ସେଥିନିମିତ୍ତ ସେହି ସମୟରେ ସଂସାରରେ ବିଲକ୍ଷଣ ପ୍ରତିଷ୍ଠା ଲାଭ କରିଥିଲେ-। ଆମ୍ଭେମାନେ ପ୍ରତ୍ୟହ କେତେ ଅମୂଲ୍ୟ, ସମୟ ବୃଥା କାର୍ଯ୍ୟରେ ନଷ୍ଟ କରିଥାଉଁ, ତାହାର ସୀମାନାହିଁ । ଗଳ୍ପ, କ୍ରୀଡ଼ା, ନିଦ୍ରା, କଳନ ଓ ନିକୃଷ୍ଟ ଆମୋଦ ପ୍ରଭୃତି ଅସାର କାର୍ଯ୍ୟରେ ଯେ ସମୟ କ୍ଷେପଣ କରାଯାଏ, ତାହା ସତ୍‌କାର୍ଯ୍ୟରେ ବ୍ୟୟିତ ହେଲେ, ଆମ୍ଭମାନଙ୍କର ଉନ୍ନତିର ସୀମା ରହିବ ନାହିଁ । କୌଣସି ବିଶେଷ କାର୍ଯ୍ୟରେ ପ୍ରତ୍ୟହ ଏକଘଣ୍ଟା ବା ଅର୍ଦ୍ଧଘଣ୍ଟା କାଳ କ୍ଷେପଣ କଲେ, ସେହି କାର୍ଯ୍ୟ କିଛିଦିନପରେ ନିଷ୍ପନ୍ନ ହୋଇଯାଏ । ଅନେକ ମହାତ୍ମା କ୍ଷୁଦ୍ର କ୍ଷୁଦ୍ର ମୁହୂର୍ତ୍ତ ଗୁଡ଼ିକର ସଦ୍‌ବ୍ୟବହାର କରି ସେମାନଙ୍କର ନିଜ ନିଜର ଉନ୍ନତି ସାଧନ ଏବଂ ଜଗତରେ କୀର୍ତ୍ତିସ୍ଥାପନ କରିବାକୁ ସମର୍ଥ ହୋଇଥିଲେ । ପ୍ରାଣୀତତ୍ତ୍ୱବିତ୍‌ ପଣ୍ଡିତ ମହାତ୍ମା ବାଫୋନ୍‌ ଚିରାଭ୍ୟସ୍ତ ଆଳସ୍ୟ ବଶତଃ ପ୍ରତ୍ୟୁଷରେ ଶଯ୍ୟା ତ୍ୟାଗ କରି ପାରୁନଥିଲେ । ଏଥି ସକାଶ ପ୍ରାଣୀ ତତ୍ତ୍ୱବିଷୟକ ତାହାଙ୍କର ପ୍ରକାଣ୍ଡ ଗ୍ରନ୍ଥଖଣ୍ଡି ବହୁକାଳ ପର୍ଯ୍ୟନ୍ତ ଅସମ୍ପୂର୍ଣ୍ଣ ରହିଥିଲା । ଅବଶେଷରେ ପ୍ରତିଜ୍ଞା ପୂର୍ବକ ପ୍ରତ୍ୟୁଷରେ ଗାତ୍ରୋତ୍ୱାନ ଅଭ୍ୟାସ କରି, ସେ ଯେଉଁ ଦୁଇ ଏକ ଘଣ୍ଟା ସମୟ ପାଉଥିଲେ, ପ୍ରତ୍ୟୟ ସେହି ସାମାନ୍ୟ ସମୟର ସଦ୍‌ବ୍ୟବହାର କରି ତାହାଙ୍କର ଅକ୍ଷୟ କୀର୍ତ୍ତିସ୍ତମ୍ଭ ସ୍ୱରୂପ ଚାରି ଖଣ୍ଡ ପୁସ୍ତକ କାଳକ୍ରମେ ସମ୍ପୂର୍ଣ୍ଣ କରିଥିଲେ । ଏହିପରି କ୍ଷଣମାତ୍ର ସମୟ ନଷ୍ଟ ନକରି, ଜଗତରେ କେତେବ୍ୟକ୍ତି କେତେ ମହତ୍‌ କାର୍ଯ୍ୟର ଅନୁଷ୍ଠାନ କରିଥିଲେ, ତାହାର ସଂଖ୍ୟା ନାହିଁ । ଯେଉଁମାନେ ସମୟାଭାବରୁ କୌଣସି କାର୍ଯ୍ୟ କରି ପାରନ୍ତି ନାହିଁ ବୋଲି ଆକ୍ଷେପ କରନ୍ତି, ଅନେକ ସ୍ଥଳରେ ସେମାନେ ସେହି ଆକ୍ଷେପର ମୂଳୀଭୂତ କାରଣ । ସମୟ ବିଭାଗ କରି କାର୍ଯ୍ୟକଲେ ଯଥେଷ୍ଟ ଅବସର ମିଳିପାରେ, ଇଚ୍ଛାଥିଲେ ସେହି ଅବସରରେ ଆମ୍ଭେମାନେ ଅନେକ ହିତକର କାର୍ଯ୍ୟର ଅନୁଷ୍ଠାନ କରିପାରୁଁ । କାର୍ଯ୍ୟଦ୍ୱାରା ଆମ୍ଭେମାନେ ଜଗତରେ ଜୀବିତ ରହୁଁ; ସୁତରାଂ ଯେଉଁ ସମୟ କାର୍ଯ୍ୟରେ ଅତିବାହିତ ହୁଏ, ସେହି ସମୟରେ ଆମ୍ଭେମାନେ ପ୍ରକୃତ ରୂପେ ଜୀବିତ । ବିନା କାର୍ଯ୍ୟରେ ଦିନାତିପାତ ହେଲେ, ଜୀବନ ବୃଥାରେ ଗତ ହୋଇଯାଏ । ଅତଏବ ସମୟର ସଦ୍‌ବ୍ୟବହାର ବିଷୟରେ ସମସ୍ତଙ୍କର ସାବଧାନ ହେବା ଉଚିତ ।

Image